Wednesday, July 12, 2017

ବିଦେଶୀ ଅନୁଦାନ ହରାଇବେ ୬୦୦୦ ଏନଜିଓ !

ନୂଆଦିଲ୍ଲୀ : ଦେଶର ପ୍ରାୟ ୬୦୦୦ ଏନଜିଓ (ସ୍ୱେଚ୍ଛାସେବୀ ସଂଗଠନ) ବିଦେଶୀ ଅନୁଦାନ ହରାଇବାର ଆଶଙ୍କା ଉପୁଜିଛି । ବିଗତ ପାଞ୍ଚବର୍ଷର ଆୟବ୍ୟୟ ହିସାବ ଦାଖଲ କରିନଥିବାରୁ ଜୁଲାଇ ୮ରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱେଚ୍ଛାସେବୀ ସଂଗଠନଗୁଡିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଜୁଲାଇ ୨୩ ସୁଦ୍ଧା ଜବାବ ଦାଖଲ କରିବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି । ଯଦି ସେମାନଙ୍କର କୈଫିୟତ ସନ୍ତୋଷଜନକ ନହୁଏ ତେବେ ସରକାରଙ୍କ ପକ୍ଷରୁ ସେମାନଙ୍କର ଲାଇସେନ୍ସକୁ ବାତିଲ କରାଯିବ । ଏହାଫଳରେ ସଂପୃକ୍ତ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ବିଦେଶୀ ଅନୁଦାନ ପାଇବାରୁ ବଞ୍ଚିତ ହେବେ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି । ଜୁନ ୧୪ ସୁଦ୍ଧା ଆୟ ବ୍ୟୟ ସଂକ୍ରାନ୍ତ ହିସାବ ଦାଖଲ କରିବାକୁ ଚଳିତବର୍ଷ ମେ'ରେ ସରକାରଙ୍କ ପକ୍ଷରୁ ୧୮୫୨୩ଟି ସ୍ୱେଚ୍ଛାସେବୀ ସଂଗଠନକୁ ଥରକ ପାଇଁ ସୁଯୋଗ ଦିଆଯାଇଥିଲା । ବିଦେଶୀ ଅନୁଦାନ (ନିୟାମକ) ଆଇନ (ଏଫସିଆରଏ) ଅନୁଯାୟୀ ଏହି ସଂଗଠନଗୁଡିକ ପଞ୍ଜୀକୃତ ହୋଇଛି । ଏହାକୁ ଆଧାର କରି ସେମାନେ ବିଦେଶରୁ ଅନୁଦାନ ପାଇଥାନ୍ତି । ତେବେ ଏହି ସଂଗଠନଗୁଡିକ ବିଗତ ପାଞ୍ଚବର୍ଷର ଆୟ ବ୍ୟୟ ହିସାବ ଦାଖଲ କରିବାକୁ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ମାସକ ପାଇଁ ସମୟ ଦିଆଯାଇଥିଲା । ଏପରିକି ଇମେଲ, ଏସଏମଏସ ଆଲର୍ଟ ଜରିଆରେ ମଧ୍ୟ ସେମାନଙ୍କୁ ନିୟମିତ ବ୍ୟବଧାନରେ ସୂଚୀତ କରାଯାଇଥିଲା । ପର୍ଯ୍ୟାପ୍ତ ସମୟ ଦିଆଯାଇଥିବା ସତ୍ତ୍ୱେ ଏହି ସଂଗଠନଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ୫୯୨୨ଟି ସ୍ୱେଚ୍ଛାସେବୀ ସଂଗଠନ ବିଗତ ତିନି ବର୍ଷ କିମ୍ବା ତଦୁଦ୍ଧ୍ୱର୍ ସମୟର ଏହି ହିସାବ ଦାଖଲ କରିନାହାନ୍ତି । ତେଣୁ ସେମାନଙ୍କର ଏଫ୍‌ସିଆରଏ ଲାଇସେନ୍ସ କାହିଁକି ବାତିଲ କରାନଯିବ, ସେ ସମ୍ପର୍କରେ ଜବାବ ଦାଖଲ କରିବାକୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି । ଜୁଲାଇ ୨୩ ସୁଦ୍ଧା ଜବାବ ଦାଖଲରେ ବ୍ୟତିକ୍ରମ ଘଟିଲେ ସେମାନଙ୍କର ଲାଇସେନ୍ସ ରଦ୍ଦ ହେବା ସୁନିଶ୍ଚିତ ।  

No comments:

Post a Comment